Unknown

 

 

 

 

 

 

 

 

 

 

ବ୍ରହ୍ମଚାଳକ

ସନ୍ଥକବି ଭୀମ ଭୋଇ

 

ପ୍ରଶ୍ନ

 

ଶ୍ରୁତିରେ ପଣ୍ଡିତଜନ ବ୍ରାହ୍ମଣେ ହୋ ଶୁଣ,

ବେଦ ପଢ଼ି ବଡ଼ପଣେ କୁହ ତୁମ୍ଭେ ଟାଣ ।

 

ତୁମ୍ଭେ ଶାସ୍ତ୍ର ସନ୍ଧ୍ୟା ପଢ଼ି ବୋଲାଅ ଯେ ବଡ଼,

ବଶ୍ୟ ଶୂଦ୍ର କ୍ଷେତ୍ରିଙ୍କି ଦେଖିଲେ ବୋଲ ମୂଢ଼ ।

 

ବେଦ ଶାସ୍ତ୍ର ସନ୍ଧି ଯେତେ ପଢ଼ିଛକି ତୁମ୍ଭେ,

କହିବ କି ଚାରିକଥା ପଚାରୁଛୁ ଆମ୍ଭେ ।

 

ବିଦ୍ୟା ପଢ଼ି ଜାଣ ଯେବେ କହ ଜାତି ବୃତ୍ତି,

କେମନ୍ତ ଉପୁଜି ବ୍ରହ୍ମ ହୁଏ ଉତପତ୍ତି ।

 

ମାତା ରଜ ପିତା ବୀଜ ସଂଯୋଗ ସ୍ୱଭାବେ,

କେଉଁଠାରେ ଥିଲ ବାବୁ ପଚାରୁଛୁ ଆମ୍ଭେ ।

 

କେଉଁରୂପେ ବସିଥିଲ କହ କେଉଁ ଭାବେ,

ସ୍ଥିତି କହ ଏବେ ପଣ୍ଡା ପଚାରୁଛୁ ଆମ୍ଭେ ।

 

ଏ ଦେହ ଗୋଟି ତୁମ୍ଭର କେ କଲା ନିର୍ମାଣ,

ମାତା ଗର୍ଭେ କେ ତୁମ୍ଭଙ୍କୁ ଦେଲା ପ୍ରାଣଦାନ ।

 

ସେ ପ୍ରାଣ କେତେ ଗୋଟା ହେଉଛି କେତେ ଜାତି,

ତୁମ୍ଭେ ଯେ ପଣ୍ଡିତ ପଣ୍ଡା କରିଥିବ ସ୍ଥିତି ।

 

କେଉଁ ମନ୍ତ୍ର ଜପି କାହିଁ କରିପାର ହେତୁ,

ପ୍ରଥମେ ପୁଚ୍ଛିଲୁ ପଣ୍ଡା ମାତାଗର୍ଭେ ତତ୍ତ୍ୱୁ ।

 

ମାତା ଗର୍ଭେ ତୁମ୍ଭ ସ୍କନ୍ଧେ ନଥିଲା ପଇତା,

ସଂସକୃତ ପରାକୃତ କଲ ଦୁଇ ପୋଥା ।

 

ବେଦ ମନ୍ତ୍ର ସନ୍ଧ୍ୟା ସ୍ତୁତି କିଛିହିଁ ନ ଜାଣ,

କଳି କରି କଥା ଶିଖି କୁହ କେତେ ଟାଣ ।

 

ବେଦ ବିଦ୍ୟା କେଉଁଠାରୁ ହୋଇଅଛି ଜାତ,

କେତେଗୋଟି ଶବ୍ଦେ ଏହି ସଂସାର ସମ୍ଭୂତ ।

 

ପ୍ରଥମେ ହୋଇଲେ ଗୁରୁ ସାବିତ୍ରୀ ପ୍ରଧାନ,

ତାହା ତୁମ୍ଭେ ଜପ କରି ହୋଇଲ ବ୍ରାହ୍ମଣ ।

 

ତ୍ରିସନ୍ଧ୍ୟା କାଳେଣ ତାକୁ ନିତି ଜଗୁଥାଅ,

ସେ ଜପର ଠାବ କାହିଁ ଫେଡ଼ି କହିଦିଅ ।

 

ମନ୍ତ୍ର ଥିଲା ଠାବ ଗୋଟି ଦିଶଇ କେମନ୍ତ,

କୁହ ତୁମ୍ଭେ ବ୍ରାହ୍ମଣେ ହୋ ମନ୍ତ୍ର ଦୀକ୍ଷା ତନ୍ତ୍ର ।

 

ସାବିତ୍ରୀ ମନ୍ତ୍ର ତୁମ୍ଭର ଚଉବିଂଶାକ୍ଷର,

ବୀଜ ଆଠ ଅକ୍ଷରକୁ ଭିନ୍ନ ଭିନ୍ନ କର ।

 

ରଜ ମନ୍ତ୍ର କାହୁଁ ଜାତ ବୀଜ ଧାତୁ କେତେ,

ପଣ୍ଡିତ ବ୍ରାହ୍ମଣେ ତୁମ୍ଭେ କହ କଥା ଏତେ ।

 

ଗାୟତ୍ରୀ ମନ୍ତ୍ର ତୁମ୍ଭର କେତେକ ଅକ୍ଷର,

କେଉଁ କେଉଁ ଅକ୍ଷରର କେଉଁଠାରେ ଘର ।

 

ବତିଶ ଅକ୍ଷରକୁ ଯେ ବାରଗୋଟି ଛନ୍ଦ;

କେ ଅଣ୍ଡିର କେ ମାଈ କେମନ୍ତ କରି ବନ୍ଦ ।

 

ନାଗଲୋକ ଭବଲୋକ ଦେବଲୋକ ତିନି,

ଚାରି ବେଦ ଭିତରୁ ଏ ସବୁ ଅଛ ଆଣି ।

 

ମନ୍ତ୍ରମାନଙ୍କର ମୂଳ କେବଣ ଅକ୍ଷର,

ନିଦାନ ଓଜ ବ୍ରହ୍ମ ସେ ନାମ ତା ଓଁ କାର ।

 

ବେଦ ମନ୍ତ୍ରମାନଙ୍କ ଉପରେ ସେହୁ ରାଜା,

ପଚାଶ ଅକ୍ଷର ତାର ଅଟନ୍ତି ପରଜା ।

 

ଏଡ଼େବଡ଼ ଅକ୍ଷର ଏ କେଉଁଠାରେ ଅଛି,

କେବଣ ଅକ୍ଷରୁ ଜାତ ବେଦ ସେ ହୋଇଛି ।

 

ଗାୟତ୍ରୀ ସାବିତ୍ରୀ ତହୁଁ ହୋଇଅଛି ଜାତ,

ଓଁ କାର ଅକ୍ଷରୁ ସେହୁ ହୋଇଛି ସମ୍ଭୂତ ।

 

ଅଜପା ଅଜଣା ମୂଳେ ଯେତେ ମନ୍ତ୍ରମାନ,

କେଉଁ ମନ୍ତ୍ର କାହା ଠାରୁ ହୋଇଲା ଜନମ ।

 

ପଚାଶ ଅକ୍ଷରୁ କେ ଅଣ୍ଡିର କେତେଜ ମାଈ,

ଏ ଅକ୍ଷର ମାନଙ୍କର ବୀଜ ଦିଅ କହି ।

 

କହ ଏବେ ବ୍ରାହ୍ମଣେ ହେ ଦାନର ବିଚାର,

କେଉଁ ଘରେ ବସେ ଯାଇ କେବଣ ଅକ୍ଷର ।

 

ଗାଈ ଦେହେ ଗାୟତ୍ରୀକି କହ ହେ ବସାଇ,

କେମନ୍ତ ପ୍ରକାର ଦାନ ଘେନ ହୋ ଗୋସାଇଁ ।

 

ମଲା ଲୋକ ଦାନ ଦେଲେ ତୁମ୍ଭେ ଘେନି ଯାଅ,

ସେ ଦାନକୁ ଆଣି ତୁମ୍ଭେ ବିକି ଭାଙ୍ଗି ଖାଅ ।

 

ମଲା ଲୋକ ପୁଣି ଜନ୍ମ ହୁଅଇ କାହିଁ ରେ,

ଦାନ ଦେଲା ଦ୍ରବ୍ୟ ତାଙ୍କୁ ଦିଅ କେଉଁଠାରେ ।

 

ମଲା ଲୋକ ଦେଲା ଦାନ କେମନ୍ତ ପ୍ରାପତ,

ଏ କଥା କହିବ ପଣ୍ଡା ଜାଣ ଯେବେ ତତ୍ତ୍ୱ ।

 

ଆହୁରି କଥାଏ ଅଛି ପଚାରୁଛୁ ଆମ୍ଭେ,

ନିତି ପ୍ରତି ଅଗ୍ନି ମୁଖେ ହୋମକର ତୁମ୍ଭେ ।

 

କାହୁଁ ଉପୁଜିଲା ଅଗ୍ନି କେତେ ମୂର୍ତ୍ତି ହୋଇ,

କେତେ ମୂର୍ତ୍ତି ହୋଇ ଅଗ୍ନି ଜଳି ଉଠୁଥାଇ ।

 

କେବଣ ଶିଖାରେ ପୂର୍ଣ୍ଣ ଆହୁତିକି ଦିଅ,

କେବଣ ଶିଖାରେ କି କି ନାମ ଫେଡ଼ି କହ ।

 

କେଉଁ ସ୍ୱାହା ବେଦ ମନ୍ତ୍ର ଉଚ୍ଚାରଣ କର,

କେଉଁ ସ୍ୱାହା ମନ୍ତ୍ର ଜନ୍ମ ମନ୍ତ୍ରଣ ସଙ୍ଗର ।

 

କେଉଁ ସ୍ୱାହା ମନ୍ତ୍ର ଚାରି ଦେବଙ୍କର ମୂଳ,

କେଉଁ ସ୍ୱାହା ମୂଳମନ୍ତ୍ରେ ଅଗ୍ନି ଘୃତ ଢାଳ

 

କେଉଁ ସ୍ୱାହା ମନ୍ତ୍ରେ ସର୍ବ ଦେବତାଙ୍କୁ ତୋଷ,

ସ୍ୱାହା ମନ୍ତ୍ର କାହୁଁ ପଣ୍ଡା ହୋଇଲା ପ୍ରକାଶ ।

 

ବ୍ରାହ୍ମଣ ବୋଲାଅ ବ୍ରହ୍ମ ଚିହ୍ନିଛ କି ତୁମ୍ଭେ,

କେମନ୍ତ ଦିଶଇ ବ୍ରହ୍ମ ପଚାରୁଛୁଁ ଆମ୍ଭେ ।

 

ବ୍ରହ୍ମାଣ୍ଡ ଗୋଟାକୁ ବ୍ରହ୍ମ ଧରିଛି କେମନ୍ତେ,

କେମନ୍ତ ପ୍ରକାରେ ବ୍ରହ୍ମ ଅଛି ଏ ଜଗତେ ।

 

ଉଚ୍ଚ କେତେ ମୋଟ କେତେ ଗୋଟିକେତେ ମୋଟା,

କହ ହେ ବ୍ରାହ୍ମଣମାନେ ବ୍ରହ୍ମ କେଉଁ ଗୋଟା ।

 

କେଡ଼େ ଉଚ୍ଚ ବଡ଼ ଅଛି କେମନ୍ତ ତା ବର୍ଣ୍ଣ,

ତୁମ୍ଭେ ଯେ ପଣ୍ଡିତ କହ ଦେଖିବା ତା ଚିହ୍ନ ।

 

ବେଦ ବିଦ୍ୟା ପଢ଼ି ତୁମ୍ଭେ ପଣ୍ଡିତ ବୋଲାଅ,

ଆଉ କଥାଏ ପଚାରୁଁ ତୁମ୍ଭେ କହିଦିଅ ।

 

ସକାଳୁ ସ୍ନାହାନ କରି ଯାଅ ରାଜାଘର,

ରାଜାଙ୍କୁ କଲ୍ୟାଣ ତୁମ୍ଭେ ନିତି ପ୍ରତି କର ।

 

ସେ କଲ୍ୟାଣ ରାଜା ଅଙ୍ଗେ ବସେ କେଉଁ ଠାଇଁ,

ରାଜା ମାନି ହସ୍ତ ପାତି ଥୁଅ କାହିଁ ନେଇ ।

 

ସେ କଲ୍ୟାଣ ଗୋଟା ଏବେ କହ ସୂତ୍ର କରି,

ଅର୍ଥ ସୂତ୍ର ନ ଜାଣିଲେ ଶୁଦ୍ର ସଙ୍ଗେ ସରି ।

 

କାର୍ତ୍ତିକ ମାଘ ସ୍ନାହାନେ ଆସ ଯେ ଗାଧୋଇ;

ମଳ ମୂତ୍ର ହାଣ୍ଡିଏ ପେଟରେ ପୂରି ଥାଇ ।

 

ଗର୍ଭ ଉଦର ଭିତର ନିରୋଳ ନ କରି,

ବାହାରେ ଉଜ୍ଜ୍ୱଳ ଯେ ଭିତରେ ମଳ ଭରି ।

 

ସୂତାର ପଇତା ନାଡ଼େ ବୋହିଥାଅ ବେକେ,

ନିନ୍ଦା କରି କହୁଥାଅ ତିନିପୁର ଯାକେ ।

 

ତୁମ୍ଭରି ବ୍ରାହ୍ମଣ କନ୍ଧେ ନ ଥାଏ ପଇତା;

କେମନ୍ତେ ବୋଲାଅ ତୁମ୍ଭେ ବ୍ରାହ୍ମଣୀ ଘଇତା ।

 

ଦେଶ ମାଗି ବୁଲ ବ୍ରାହ୍ମଣ ପଇତା ପିନ୍ଧି,

ବ୍ରହ୍ମଗଣ୍ଠି ପଇତାର ନ ଜାଣ ଯେ ସନ୍ଧି ।

 

ନବ ଗୁଣ ପଇତାର ଲକ୍ଷେ ବ୍ରହ୍ମଗଣ୍ଠି,

ମହା ବ୍ରହ୍ମ ପୈତା ପିନ୍ଧି ନ ପାରିଲ ଉଠି ।

 

ନିର୍ଗୁଣ ପଇତା ବ୍ରହ୍ମା ତୁମକୁ ନ ଦେଲେ,

ନିର୍ଗୁଣ ଗଣ୍ଠିକି ବହି ନପାରି ବୋଇଲେ ।

 

ଆଦି ବ୍ରହ୍ମ ପଇତା ହୃଦରେ ଅଛି ଜଡ଼ି;

ଯେଉଁ ପଇତାର ବ୍ରହ୍ମ ଗଣ୍ଠି ଅଛି ପଡ଼ି ।

 

ସେ ଗଣ୍ଠିରେ ଆତ୍ମା ଯାଇ କରିଅଛି ଘର,

ସେ ପଇତା ଛାଡ଼ିଲେ କେ କରିବ ଆହାର ।

 

ସେ ମୂଳ ପଇତା ପଣ୍ଡା ଭଲ କରି ଚିହ୍ନ,

ସେ ପଇତା ଅଟେ ସିନା ସଂସାର ଭିଆଣ ।

 

ବ୍ରାହ୍ମଣୀ କନ୍ଧ ପଇତା ବ୍ରାହ୍ମଣେ ପିନ୍ଧିଲ,

ବ୍ରହ୍ମ ଗଣ୍ଠି ପଇତାକୁ ଦିନେ ନ ଜପିଲ ।

 

ଆଦ୍ୟ, ମଧ୍ୟ, ଅନ୍ତ, ପ୍ରାନ୍ତ, ଏହି ଚାରି କଥା,

ଚାରି ବେଦ କହୁଛନ୍ତି ଏ ଚାରି ବାରତା ।

 

ଏହି ଚାରି କଥା ବେଦ ବେଦାନ୍ତର ଅନ୍ତ,

ପଚାରିଲୁ ଚାରି ବେଦ କହ ପଣ୍ଡା ସତ୍ୟ ।

 

ବ୍ରାହ୍ମଣୀ ପଇତା ସେବା କରୁଥାଉ ତାର,

ତୁମ୍ଭ ବ୍ରହ୍ମ ଗଣ୍ଠି କହ ବ୍ରାହ୍ମଣ କୁମର ।

 

ଏ ଦୁଇ ଜାଣିଲେ ବିପ୍ର ନୁହଇ ଶବର,

ଶବର ଝିଅରେ ତୁମ୍ଭେ କରିଅଛ ଘର ।

 

ଯେ ଯାହା ସ୍ୱଭାବ ଜାତ ସଂସାର ଭିଆଣ,

ବେଦ ଭେଦ ଶିଖି ପଢ଼ି କହ କେତେ ଟାଣ ।

 

ସୁଜ୍ଞାନୀ ପଣ୍ଡିତ ଯେ ଜାଣିବ ଏତେ ସନ୍ଧି,

ନ ଜାଣିଲେ ବ୍ରହ୍ମ ସନ୍ଧି ନିଶ୍ଚେ ହେବ ବନ୍ଦୀ ।

 

ପଚାରିଲେ ବ୍ରହ୍ମ ଗଣ୍ଠି ଗୀତାର ଯେ ଭେଦ,

ଛଡ଼ଚକ୍ର ଜିଣି ବ୍ରହ୍ମ ଗଣ୍ଠିର ଯେ ଭେଦ ।

 

ନ ଜାଣିଲେ ଖୋଜ ପଣ୍ଡା ଛଡ଼ଚକ୍ରେ ଖୋଜି,

ନ ମର ମିଛେ ହେ ପଣ୍ଡା ବୁଝ ଆତ୍ମା ମଜ୍ଜି ।

 

ଶୁଣ ହେ ସୁଜନେ ବ୍ରହ୍ମ ଚାଳକ ରହସ୍ୟ,

ପ୍ରଶ୍ନରେ ଭଣିଲେ ଭୀମ ଭୋଇ ହୀନ ଦାସ ।

 

ବ୍ରାହ୍ମଣ ଉତ୍ତର

 

ଯାହା ପଚାରିଲ ତୁମ୍ଭେ ଈଶ୍ୱର ଗୋସାଇଁ,

ଚାରି ଦ୍ୱାରେ ଚାରି ବେଦ ଭକ୍ତି ଭାବେ କହି ।

 

ତ୍ରି ସନ୍ଧ୍ୟା ଗାୟତ୍ରୀ ଆମ୍ଭ ପଦ ଛତ୍ର ଜାଣ,

ବ୍ରହ୍ମକୁ ଚିହ୍ନିଣ ଆମେ ବୋଲାଉ ବ୍ରାହ୍ମଣ ।

 

ଯାହା ପଚାରିଲ ଦାସେ କହୁଅଛୁଁ ଆମ୍ଭେ,

ଭକ୍ତି ଯୋଗ ଘେନିଣ ବିଚାର କର ତୁମ୍ଭେ ।

 

କାୟା ଯେ କୋମଳ ଧୂନି ଉତ୍ତରୀ ପବନ,

ଏହା ପଚାରିଲ ନିକି ବୋଲାଅ ବ୍ରାହ୍ମଣ ।

 

ନବଗୁଣ ପଇତାର ଶିଶୁ ବେଦ ଘର,

ଗଣ୍ଠି ଗୋଟି ପଡ଼େ ଦାସେ ତୃତୀୟ ସ୍ଥାନର ।

 

ପଚାଶ ଅକ୍ଷର ମୂଳେ ପଞ୍ଚଷଠି ଦଳ,

ଛଡ଼ଚକ୍ର ପଚାଶ ଅକ୍ଷର ଏହୁ ଠୁଳ ।

 

 

ବାର କଳା ଘେନି ମନ୍ତ୍ର ହୋଇଅଛି ରୁଣ୍ଡ,

ଚୌଷଠି କାଠିରେ ଆତ୍ମା ହୋଇଛି ବ୍ରହ୍ମାଣ୍ଡ ।

 

ଅଣଚାଶ ପବନ ଏ ବ୍ରହ୍ମାଣ୍ଡ ଭିତର,

ନବ ଦ୍ୱାଦଶ ଜଳରେ ହୋଇଅଛି ଠୁଳ ।

 

ପଶ୍ଚିମ ଦିଗରେ ବାରମାତ୍ରା ଜଳେ ଧନି,

ଆତ୍ମାକୁ ସୁମରି ଏହା କହିଲୁ ସୁଜ୍ଞାନୀ ।

 

ବିଚିତ୍ର ବିନ୍ଧାଣି ଏ ପାଣ୍ଡୋଇ କଲା କର୍ମ,

ରଜନୀ ଦିବସେ ଚାଲୁ ଦ୍ୱାଦଶ ଯୋଜନ ।

 

ସିଦ୍ଧ ସରୋବରେ ଆମ୍ଭେ କଲୁ ଗୋ ସ୍ନାହାନ,

ଅନ୍ନ ବସ୍ତ୍ର ଦାନ ଆମ୍ଭ ବ୍ରହ୍ମରେ ବହନ ।

 

ହୋମ ଯଜ୍ଞ କରୁ ଆମ୍ଭେ ଅମନ ମନ୍ଦିରେ,

ସ୍ୱାହା ଶବଦ ଶୁଭଇ ନିଶବଦ ଘରେ ।

 

ଶବ ଡ଼ାଙ୍ଗ ଲମ୍ବ ଦୀର୍ଘ ଚୌବିଂଶ ଯୋଜନ,

ଏକସେର ଗୁଆ ଘୃତ କରୁ ହୋ ଦହନ ।

 

ଧୃତି ଉତ୍ରୀ ତମ୍ବା ବ୍ରହ୍ମରୁ ପ୍ରକାଶ,

ଦ୍ୱାଦଶ ତିଳକ ଦାସେ ଅମନ ଉଶ୍ୱାସ ।

 

ଏକ ନେତ ଗୋଟି ଦାସେ ଶିରପରେ ଥାଇ,

ଏକ ରୁଅ ବେନି ବତା ଗଣ୍ଡିରେ ସମ୍ଭାଇ ।

 

ଅଧିକ ଲୁଚାଏ ଆଉ ଲୋଡ଼ିଲେ ନ ପାଇ,

ପ୍ରମାଣେ କହିଲୁ ଦାସେ ଭକ୍ତିଭାବେ ରହି ।

 

ଆଦ୍ୟ ହେତୁ ନାହିଁ ଯାର ଜଡ଼ା ଭାବେ ଭୋଳ,

କାହାକୁ ପାଇବୁ ବୋଲି ଜପ କାଷ୍ଠମାଳ ।

 

କାଷ୍ଠମାଳା ପାଷାଣ ରୁଦ୍ରାକ୍ଷ ଚନ୍ଦ୍ରିକାରେ,

ପୁଷ୍କର ପାଇଲା ଜପ ମାଣିକ ମାଳରେ ।

 

ମୁକ୍ତାହସ ରେଖାଟିରେ ମାଳା ଜୟଥାଅ,

ଚିଟା ଲାଗିଲେଣ ମାଳ ସଂହାରିଣ ଥୁଅ ।

 

ମାଳ ତୁମ୍ଭ ଖଣ୍ଡ ଖଣ୍ଡ ଭଜନାଦି ଖଣ୍ଡ,

ଆତ୍ମାକୁ ନ ଚିହ୍ନି ହୃଦେ ବୋହିଅଛ ଦଣ୍ଡ ।

 

ସୁବର୍ଣ୍ଣ ଶଙ୍ଖ ମୁକୁତା ଆଦି ଯେତେ ମାଳ,

କଣ୍ଠରେ ଭରିଣ ତୁମ୍ଭେ କରିଅଛ ଠୁଳ ।

 

ତୁଳସୀ କାଷ୍ଠ ମାଳାରେ କରିଅଛ କଣ୍ଠି,

ଖାଡ଼ ବଳଦ ବେକରେ ଯେସନେକ ଘଣ୍ଟି ।

 

ସେହିମତି ମାଳମାନ ଜପକର ସିନା,

ଆଉ କେଉଁ ମାଳା ଅଛି ଜପକର କିନା ।

 

ମାଳ ନାହିଁ ଜପ ନାହିଁ ନାହିଁ କରମାଳା,

ଆଦ୍ୟରେ ଜନ୍ମିଲା ଜୀବ ଘେନି କେତେ କଳା ।

 

ବିଷୟା ଧନ୍ଦାରେ ପଡ଼ି କରୁଅଛ କର୍ମ,

ଆଦ୍ୟ ହେତୁ ନ ଜାଣି ତୁମ୍ଭେ ହେଉଅଛ ଭ୍ରମ ।

 

ମାଳାରେ ନ ଥାଇ ସେତ ଭଜନାରେ ନାହିଁ,

ମାଳା ଭଜନାରେ ଜ୍ଞାନ ପାଇବ ସେ କାହିଁ ।

 

ବାର ମାତ୍ରା ଚଉବଂଶ ଅକ୍ଷର ଏ ଯେତେ,

ମନ୍ତ୍ର ଯନ୍ତ୍ର ଆଦିକରି ସ୍ଥାପିତ ଜଗତେ ।

 

ଏତେ ମନ୍ତ୍ର ଜପି ତୁମ୍ଭେ ମାଳ ଧରି ଭଜ,

କେଉଁ ମନ୍ତ୍ର ଜପି କରି କାହିଁ ରେ ନିମଜ୍ଜ ।

 

ମାଳରେ ନ ଥାଇ ସେତ ଭଜନାରେ ନାହିଁ,

ମନ୍ତ୍ର ଯନ୍ତ୍ର ନାହିଁ ମାଳ ଶୂନ୍ୟ ଅଛି ରହି ।

 

ସୋହଂସ ଭଜନ ସିନା ଅଟେ ବ୍ରହ୍ମ ମୂଳ,

ଅନାମ ଭଜନା କୃତ ନାହିଁ ପ୍ରତି ତୁଳ ।

 

ବାସନା ଭଜଇ ସେ ନିୟତ ଭଜେ କିସ,

ତାହାକୁ ତରକ ବ୍ରହ୍ମ ହୋଇଥାଇ ଦୃଶ୍ୟ ।

 

ସେ ବ୍ରାହ୍ମଣ ବ୍ରହ୍ମଦର୍ଶୀ ବୋଲିଟି ତାହାଙ୍କୁ,

ମାୟା କାଟି କାୟାରେଟି ଚିହ୍ନିଛି ବ୍ରହ୍ମକୁ ।

 

ତାହାଙ୍କୁଟି ବ୍ରହ୍ମଜ୍ଞାନୀ ବୋଲନ୍ତି ସୁଜନେ,

ବ୍ରହ୍ମଦର୍ଶୀ ବୋଲି ତାଙ୍କୁ ବୋଲ ସୁଜ୍ଞଜନେ ।

 

ସେହି ଜାଣନ୍ତି ବ୍ରହ୍ମ ନାହିଁ ବର୍ଣ୍ଣଚିହ୍ନ,

ମନକୁ ଭଜିଣ ସେ ଯେ କରୁଅଛି ଧ୍ୟାନ ।

 

ଅନାମରୁ ନାମ ସ୍ଥାନ ନାହିଁ ଆଦ୍ୟ ଅନ୍ତ,

ନାମ ନାସ୍ତି ଶବ୍ଦ ନାସ୍ତି ନାସ୍ତି ପଞ୍ଚଭୂତ ।

 

ନିଶବ୍ଦରୁ ଶିଶୁବେଦ ଜାଣନ୍ତି ମହେଶ,

ତହିଁପରେ ଚନ୍ଦ୍ର ସୂର୍ଯ୍ୟ ନାହିଁ ଦଶଦିଶ ।

 

ତହିଁପରେ ଅଣାକାର ଅକ୍ଷର ନୁହଇ,

ନାଦ ଶବ୍ଦ ନାହିଁ ନାସ୍ତି ନିଶବଦ କହି ।

 

ଅଣାକାର ଅଣାକ୍ଷର ଅଲେଖ ମଣ୍ଡଳ,

ଆପ ନାହିଁ ତେଜ ନାହିଁ ନାହିଁ ଶୂନ୍ୟ ଠୁଳ ।

 

ନିର୍ମଳ ନିର୍ଗୁଣ ଜ୍ଞାନ ମହିମାଟି ସେହି,

ପରମ ନିର୍ଗୁଣ ଯେ ଅଣାକାର ଦେହୀ ।

 

ଋଷି ତପୀ ଯୋଗୀ ଜନ ମହିମା କହନ୍ତି,

ନିର୍ଗୁଣ ନିଷ୍କାମ ଜ୍ଞାନ ଅଭ୍ୟାସୁ ଅଛନ୍ତି ।

 

ମାର୍କଣ୍ଡ ଭୁଷଣ୍ଡ ରୋମାଞ୍ଚାଦି ଯେତେ ଋଷି,

ଅଣାକାର ଅଣାକ୍ଷର ଧ୍ୟାନ ଦିବା ନିଶି ।

 

ଏହିମତେ ସପ୍ତଋଷି କରୁଛନ୍ତି ଲୟେ,

କହନ୍ତି ମାଧବ ଦାସେ ନାହିଁ ମୃତ୍ୟୁ ଭୟେ ।

 

ଭ୍ରମଭ୍ରାନ୍ତି ନାହିଁ ମୋର ଶୁଣ ଆଦିଗୁପ୍ତ,

ଶ୍ରୀଗୁରୁଙ୍କ ପାଦତଳେ ରହୁ ମୋର ଚିତ୍ତ ।

 

ସାଧୁ ସୁଜ୍ଞଜନେ ମୋର ନ ଧରିବ ଦୋଷ,

ଶ୍ରୀଗୁରୁ ଆଜ୍ଞାରେ ଜ୍ଞାନ ହୋଇଲା ପ୍ରକାଶ ।

 

ନିଷ୍କାମ ସୁଜ୍ଞାନ ଏ ଯେ ଅଟଇ ଅମୃତ,

ପିଅ ହେ ସୁଜନ ଜନେ ହୋଇ କୃତ୍ୟ କୃତ୍ୟ ।

 

ଚୌରାଳିଶ ପଦ ଏହୁ ହୋଇଲା ସମ୍ପୂର୍ଣ୍ଣ,

ଅରୂପରୁ ରୂପ ରାଶି ନାହିଁ ବର୍ଣ୍ଣ ଚିହ୍ନ ।

 

ପାର୍ବତୀ ବୋଲନ୍ତି ତୁମ୍ଭେ ଶୁଣ ତ୍ରିଲୋଚନ,

ଭୋ ନାଥ କହିବା ତୁମ୍ଭେ ପୂର୍ବ ଆଦ୍ୟ ଜନ୍ମ ।

 

ଈଶ୍ୱର ବୋଇଲେ ତୁମ୍ଭେ ଶୁଣ ଗୋ ପାର୍ବତୀ,

ଯାହା ପଚାରିଲୁ ପ୍ରିୟା ଆଦ୍ୟ ଜନ୍ମ ସ୍ଥିତି ।

 

ଏକମନ ହୋଇ ଶୁଣ ପଚାରିଲୁ ଯାହା,

ଲକ୍ଷେକ ପ୍ରମାଣ କରି ବୁଝାଇବା ତାହା ।

 

ଅନାଦି ଜାତ କଲେ ଯେ ତିନିପୁତ୍ର ଜାଣ,

ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନି ଯେ ପ୍ରମାଣ ।

 

ସୃଷ୍ଟିର ଧାରଣେ ତିନିପୁତ୍ର ହେଲେ ଜାଣ,

ତିନିଗୁଣେ ତିନି ଥୋଇ ସଂସାର ଭିଆଣ ।

 

ଆଦି ବୋଇଲେ ପୁତ୍ରଙ୍କୁ କରାଇବା ବ୍ରତ,

କପାବୃକ୍ଷ ଜାତ କରି ମଞ୍ଜି ଭିଆଅତ ।

 

ଅନାଦି ମଣ୍ଡଳରୁ ଅନାମ ମଞ୍ଜି ଆଣି,

ଆଦି ଦୁର୍ଗା ହୋଇଲେ ଯେ ମାଟିକାର ପୁଣି ।

 

ମନ ଓ ପବନ ହଳ ଚୈତନ୍ୟ ଜୁଆଳି,

ନୟନ ଲଙ୍ଗଳ ହେଲେ ବାସନା ଦଉଡ଼ି ।

 

ଅନାଦି ଧରି ହଳ ଅନାମ ମଞ୍ଜି ବୁଣି,

ତିନିପୁର କପା ବୃକ୍ଷ ଉଠିଲା ଉଜାଣି ।

 

କପା ବୃକ୍ଷ ଉପୁଜିଲା କଳଣା ନ ଯାଇ,

ବ୍ରହ୍ମା ବିଷ୍ଣୁ ମହେଶ ତୃତୀୟ ପ୍ରକାଶଇ ।

 

ବ୍ରହ୍ମା ହେଲେ କୁଡ଼ିଆନ ଈଶ୍ୱର କୁଡ଼ିଆ,

ବିଷ୍ଣୁ ପାଣି ସିଞ୍ଚନ୍ତି ଆକାଶ ମଣ୍ଡଳିଆ ।

 

ଋକବେଦ ହେଲା ପତ୍ର ଶାମବେଦ ପୁଷ୍ପ,

ଯଜୁରବେଦ ଫଳ କଢ଼ ହୋଇଲା ପ୍ରତ୍ୟକ୍ଷ ।

 

ଅଥର୍ବ ଯେ ବେଦ ଫୁଟି କପା ହେଲା ଜାଣ;

ଶିଶୁ ବେଦ ମଞ୍ଜି ପୁଣି ହୋଇଲାକ ପୁଣ ।

 

ମନ-ଖାଇ କରି ବ୍ରହ୍ମା ଖୁଆଇଲେ କପା,

ବିଷ୍ଣୁ ଯେ ତୁଳା ଭିଣିଲେ ନାମ ସେ ଅଜପା ।

 

ଈଶ୍ୱର କାଟନ୍ତି ସୂତା ବସନା-ଅରଟେ,

ହେତୁ ପଞ୍ଚାଳିରେ ପହୁଞ୍ଚାଇଲେ ତ୍ୱରିତେ ।

 

ଗାୟତ୍ରୀ ଛଡ଼ ନାଡ଼ରେ ଛଡ଼ ଗୁଣ କରି,

ଛଡ଼ ନାଡ଼େ ପଇତା ଖଞ୍ଜିଲେ ଋତୁଧରି ।

 

ନାଡ଼କେ ନଅଖିଅ ଥୋଇଲେ ଏକ ତୁଳେ,

ଛ ନୁଆଁ ଚଉବନ ଦିଶିଲା ଅମୁଲେ ।

 

ହୀରା ନୀଳା ମୋତି ଯେ ମାଣିକ୍ୟ ମରକତ,

ଛାଡ଼ ଛଡ଼ ବର୍ଣ୍ଣେ ସେ ଦିଶିଲା ପୁଲକିତ ।

 

ଅନାଦି ନାଥ ଗଢ଼ିଲେ ବ୍ରହ୍ମ ମନ୍ତ୍ର ଗୋଟି,

ଗାୟତ୍ରୀ ସାବିତ୍ରୀ ତୁଲେ ଦେଲେ ବ୍ରହ୍ମଗଣ୍ଠି ।

 

ବ୍ରହ୍ମାଙ୍କ କନ୍ଧେ ଦେଲେ ଅନାଦି ତୋଷମନେ,

ଏମନ୍ତ ସଞ୍ଚିଲେ ଯୋଗ ପଇତା ବିଦ୍ୟମାନେ ।

 

ଏମନ୍ତ ସଞ୍ଚିଲେ ଜାଣ ପଇତା ଭିଆଣ,

ଭୀମସେନ ଦାସ ଏହା ବଖାଣିଲେ ପୁଣ ।

 

(ଗାୟତ୍ରୀ-ମନ୍ତ୍ର) ଅଷ୍ଟାଙ୍ଗ ବିଚାର ଏବେ କହିଦେବା ଶୁଣ,

ଅଷ୍ଟକୋଟି ସ୍ଥାନ ଏହୁ ଦେହରେ ପ୍ରମାଣ ।

 

ମୁଖ ନାଶା ଚକ୍ଷୁ କର୍ଣ୍ଣ ଏହି ଚାରିଦ୍ୱାର,

ବେନି ବେନି ହୋଇ ଦେଖ ଏ ଚାରି ସ୍ଥାନର ।

 

ଏହି ଚାରି ଦ୍ୱାରକୁ ଅଷ୍ଟାଙ୍ଗ ବୋଲି କହି,

ସିଦ୍ଧି ମହୀ ବୋଲିଣ ଯେ ତଥି ପାଶେ ରହି ।

 

ଧେୟ ଜନ ପ୍ରତେ ଦୟା ପୁଣି ସେ ତୋହରି,

ଚବିଶ ଅକ୍ଷର ତ୍ରିପାଦେ ଗାବ ଚରି ।

 

ପର ର ଜଶ ଶବଦ ମିଶିଣ-ବତିଶ,

ଚାରି ପାଦ ଧରି ଗାଇ ଅଷ୍ଟାଙ୍ଗରେ ବାସ ।

 

ଋକ ଶାମ ଯଜୁ ଅଥର୍ବ ଏ ଚାରି ଘେନି,

ଅଷ୍ଟ ସ୍ଥାନେ ବସିଛନ୍ତି ଅଜପା ସେ ମୁନି ।

 

ଶର ଚକ୍ଷୁ ରଜ ନାସା ଶଶ ମୁଖରେଣ,

ବଦ ବେନି ବସିଛନ୍ତି ବେନି ଯେ ଶ୍ରବଣ ।

 

ଅରର ଅଛବି ପୁଡ଼ା ଡ଼ାହାଣ ଚକ୍ଷୁରେ,

ଅଜ ଦୟା ଅବରଣୀ ଦକ୍ଷିଣ କର୍ଣ୍ଣରେ ।

 

ଇସଂସଇ ଭୃଙ୍ଗ ଦେବୀ ଉପର ଯେ ଓଷ୍ଠ,

ଉରୁ ଉର ସିଦ୍ଧି ମହୀ ବାସା ନାସାପୁଟ ।

 

ଓ ବୋଧୋୟ ଜନ ବାସ ଶ୍ରବଣ ମଧ୍ୟରେ,

ଓ ଯେ ଅପ୍ରବେ ଘେନିଣ ଦକ୍ଷିଣ ନାସାରେ ।

 

ଅଶେଷ ଦୟା ଦେଖତ ଓହେଳର ଓଷ୍ଠ,

ଅଥରବ ବାସ ଚକ୍ଷୁ ମଧ୍ୟରେ ଯେ ଉଷ୍ଟ ।

 

ମିଶି ବତିଶ ଅକ୍ଷର ଚତୁଃ ପାଦେ ଗାଈ,

ପୁଚ୍ଛ ବାଟେ ଗାବ ପୁଣି ଆହାର କରଇ ।

 

ମୁଖ ବାଟେ ଆହାର ନେଇଣ ବଳକଇ,

ଏହି ମନ ଗୋଟି ସିନା ଗାବ ବୋଲି କହି ।

 

ରଖୁଆଳ ଚଇତନ ରଖେ ନିରନ୍ତର,

ଆଧାର ଭକ୍ଷଇ ଗାଈ ଛଡ଼ି ଯେ ଅକ୍ଷର ।

 

ଛଡ଼ଚକ୍ର ଛଡ଼ ମୁଖ ବୋଲିଣ ଯେ ଜାଣ,

ପବନ ସ୍ୱରୂପୀ ଗାଇ ଯାଇ ଆସେ ପୁଣ ।

 

ଆଗମ ନିଗମ ଗାଈ ବସାଇଣ ପାଶେ,

ବେଦମାତା ଗାୟତ୍ରୀଟି ନିଗମ ଅଭ୍ୟାସେ ।

 

ବାର ଯେ ଅଙ୍ଗୁଳି ବାର ଯୁଣ ବୋଲି ଜାଣ,

ଭିତରେ ଭେଦି ପଶିବ ଏହି ବାର ଯୁଣ ।

 

ବାର ଯୁଣ ବଳିଗଲେ ପଳାଇବ ଗାଈ,

ଭାଙ୍ଗିଯିବ ଗୁହାଳ ଯେ ଲୋଡ଼ିଲେ ନ ପାଇ ।

 

ଏ ଭେଦ ଜାଣିଲେ ସେ ବ୍ରାହ୍ମଣ ବୋଲି ଜାଣ,

ଦକ୍ଷିଣ କନ୍ଧେ ପଇତା ବୋହିବା ପ୍ରମାଣ ।

 

ଅଷ୍ଟାଙ୍ଗକୁ ଯାଇଣ ଯେ ଅଜପାକୁ ଜପ,

ଦାରୁଣ ନିଷ୍ଠୁର ନାମ ନ ଲାଗଇ ଧାପ ।

 

ତେଣୁକରି ତୁମ୍ଭ ଆଗେ ଫିଟାଇ କହିଲେ,

ଅଭ୍ୟାଗତ ଭଣ୍ଡାରରୁ ଏତକ ଆଣିଲେ ।

 

ଭୀମ ଲେଖେ ଶ୍ରୀଗୁରୁ ସୁମରି,

ପ୍ରଶ୍ନ ଉତ୍ତର ସମସ୍ୟା କହିଲି ବିସ୍ତାରି ।